ଖେଳ ଖବର

ମନିକା ବାତ୍ରା କ୍ୱାର୍ଟରରେ

ଚାଇନା: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ମନିକା ବାତ୍ରା ଏସିଆନ ଗେମ୍ସ ଟେବୁଲ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭେଟେରାନ ଏ. ଶରଥ କମଲ ଓ ଜି. ସାଥିୟଁା କିନ୍ତୁ ପ୍ରି-କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି। ସକାଳ ସେସନରେ ଏକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚରେ ମନିକା ୪-୨ (୧୧-୭, ୬-୧୧, ୧୨-୧୦, ୧୧-୧୩, ୧୨-୧୦, ୧୧-୬)ରେ ଥାଇଲାଣ୍ଡର ସୁଥାସିନୀ ସାଓ୍ବେଟାବଟଙ୍କୁ ହରାଇ ଦେଇଛନ୍ତି।

ଜାକର୍ତ୍ତା ଏସିଆନ ଗେମ୍ସର ମିକ୍ସଡ ଡବଲ୍ସ ବ୍ରୋଞ୍ଜ ବିଜେତା ମନିକା ଶନିବାର କ୍ୱାର୍ଟରଫାଇନାଲରେ ବିଶ୍ୱର ୩ ନମ୍ବର ଚାଇନାର ୟିଦି ଓ୍ବାଙ୍ଗ୍‌ଙ୍କୁ ଭେଟିବେ। ଗେମ୍ସରେ ପଦକ ଜିତିବା ଲାଗି ତାଙ୍କ ପାଇଁ ଏହା ଶେଷ ସୁଯୋଗ, କାରଣ ଇତିମଧ୍ୟରେ ସେ ମିକ୍ସଡ ଓ ମହିଳା ଟିମ୍‌ ଇଭେଣ୍ଟରେ ହାରିସାରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଶରଥ ଲଢୁଆ ପ୍ରଦର୍ଶନ କରି ୧୧-୭, ୧୨-୧୦, ୯-୧୧, ୧୧-୫, ୧୦-୧୨, ୬-୧୧, ୧୧-୮ରେ ହାରିଯାଇଛନ୍ତି। ଅନ୍ୟପକ୍ଷରେ ଜି.ସାଥିୟାଁ ଚାଇନାର ଚିକ୍ୱିନ ଓ୍ବାଙ୍ଗ୍‌ଙ୍କଠାରୁ ୩-୧୧, ୩-୧୧, ୬-୧୧, ୩-୧୧ରେ ହାରିଯାଇଛନ୍ତି। ମହିଳା ଡବଲ୍ସରେ ଭାରତ ପାଇଁ ଶୁକ୍ରବାର ମିଶ୍ରିତ ଦିବସ ଥିଲା। ସୁତୀର୍ଥ ମୁଖାର୍ଜୀ ଓ ଆହିକା ମୁଖାର୍ଜୀ ୧୧-୮,୧୧-୭, ୧୧-୪ରେ ଥାଇଲାଣ୍ଡର ଜିନ୍ନିପା ଓ ଓ୍ବାନଓ୍ବିସାଙ୍କୁ ହରାଇ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶ୍ରୀଜା ଆକୁଲା ଓ ଦିୟା ଚିତାଲେ କିନ୍ତୁ ୫ମ ସିଡ୍‌ ଜାପାନର ମିଓ୍ବା ହାରିମୋତୋ ଓ ମିୟୁ କିହାରାଙ୍କଠାରୁ ୧୧-୩, ୧୧-୫, ୧୧-୮ରେ ପରାଜିତ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button