ରାଜ୍ୟ

ଓଡିଶା ଚାଷୀଙ୍କ ମାସିକ ଆୟ କେତେ?; ବିଧାନସଭାରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ, ଜାତୀୟ ହାରଠୁ ବହୁ ପଛରେ ଓଡିଶା

ଭୁବନେଶ୍ୱର: ଓଡିଶା ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା । ଓଡିଶାର ଜଣେ ଚାଷୀ ମାସକୁ ୫୧୧୨ ଟଙ୍କା ରୋଜଗାର କରିଥାନ୍ତି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସୂଚନା ଅନୁସାରେ, ବିଧାନସଭାରେ ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏହାର ଉତ୍ତର ରଖି ମନ୍ତ୍ରୀ କହିଥିଲେ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସର୍ବେକ୍ଷଣ ମୁତାବକ ଓଡିଶାର ଜଣେ ଚାଷୀ ୨୦୧୨-୧୩ ବର୍ଷରେ ମାସକୁ ୪୯୭୬ ଟଙ୍କା ରୋଜଗାର କରୁଥିଲେ ଯାହାକି ୨୦୧୮-୧୯ ବର୍ଷରେ ବୃଦ୍ଧି ପାଇ ୫୧୧୨ ଟଙ୍କା ହେଇଛି । ଏହା ସହ ମନ୍ତ୍ରୀ ଗୃହରେ ଅନ୍ୟ ରାଜ୍ୟର ଚାଷୀଙ୍କ ଆୟର ଏକ ତୁଳନାତ୍ମକ ଚିତ୍ର ମଧ୍ୟ ରଖିଥିଲେ । ଯାହା ମୁତାବକ, ସର୍ବଭାରତୀୟ ସ୍ତରରେ ଚାଷୀଙ୍କ ମାସିକ ଆୟ ୧୦,୨୧୮ ଟଙ୍କା ହେଇଥିବାବେଳେ, ଓଡିଶାରେ କିନ୍ତୁ ଏହା ମାତ୍ର ୫୧୧୨ ଟଙ୍କା ।

ଅନ୍ୟପଟେ ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରଚଳନ କରାଯାଇଛି । ଏହା ଯୋଜନାର ରାଜ୍ୟସ୍ତରୀୟ କମିଟିରେ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଓ ଇପିକଲର ଏମଡି ସଦସ୍ୟ ଅଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button