ଓଡ଼ିଶାବିଶେଷ

ସରିଲା ବିଧାନସଭାର ବଜେଟ୍ ଅଧିବେସନ

ଭୁବନେଶ୍ୱର : ସରିଲା ବିଧାନସଭାର ବଜେଟ୍ ଅଧିବେସନ । ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଏହି ଅଧିବେସନ ଚଳିତ ମାସ ୪ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହାର ୩ଦିନ ପୂର୍ବରୁ ଅର୍ଥାତ ଗତ କାଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଅଧିବେଶନର ପ୍ରଥମ ଦିନରେ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଉପସ୍ଥାପନ କରିଥିଲେ । ଅଧିବେଶନର ୨୦ଟି କାର୍ଯ୍ୟଦିବସ ମଧ୍ୟରେ ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା । ୮ଟି ବିଲ୍ ଉପସ୍ଥାପନ କରାଯାଇଥିବାବେଳେ ୭ଟି ବିଲ୍ ପାରିତ ହୋଇଥିଲା । ୨୧ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିବାବେଳେ ୨୩ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ ଦ୍ୱାରା ପାରିତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କପାଇଁ ଗୃହରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା ।

ସେହିପରି ଗତ ଶନିବାର ଗୃହରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହୋଇଥିଲା । ଏହାସହ ସବୁଦଳର ବିଧାୟକମାନେ ସେମାନଙ୍କ ଦରମା ବୃଦ୍ଧି ପାଇଁ ଦାବି କରିଥିବାବେଳେ ଏହାର ଅନୁଧ୍ୟାନ କରିରିପୋର୍ଟ ଦେବା ପାଇଁ ବାଚସ୍ପତି ବିଜେଡ଼ିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ବିଧାୟକ ସୁଦାମ ମାରାଣ୍ଡି, ମୋହନ ମାଝୀ, ବିଷ୍ଣୁ ସେଠୀ, ତାରାପ୍ରସାଦ ବାହିନୀପତି, ସ୍ନେହାଙ୍ଗିନୀ ଛୁରିଆ, ସୀମାରାଣୀ ନାୟକ, ମକରନ୍ଦ ମୁଦୁଲି, ରାଜନ ଏକ୍କା ଏବଂ ଲକ୍ଷ୍ମଣ ମୁଣ୍ଡା ସଦସ୍ୟ ରହିଛନ୍ତି । କମିଟିର ରିପୋର୍ଟ ପାଇବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button